ସିଇସି ଜ୍ଞାନେଶ କୁମାରଙ୍କୁ ବହିଷ୍କାର ପାଇଁ ୧୯୩ ବିରୋଧୀ ସଦସ୍ୟଙ୍କ ସ୍ଵାକ୍ଷର

ନୂଆଦିଲ୍ଲୀ: ବିରୋଧୀ ଏମ୍‌ପିମାନେ ସିଇସି ଜ୍ଞାନେଶ କୁମାରଙ୍କୁ ବହିଷ୍କାର କରିବା ପାଇଁ ଶୁକ୍ରବାର ପାର୍ଲାମେଣ୍ଟର ଉଭୟ ଗୃହରେ ନୋଟିସ ଦାଖଲ କରିଛନ୍ତି। ଉକ୍ତ ନୋଟିସରେ ଲୋକ ସଭାର ୧୩୦ ଏବଂ ରାଜ୍ୟ ସଭାର ୬୩ ଏମ୍‌ପି ସ୍ବାକ୍ଷର କରିଛନ୍ତି। ସ୍ବାକ୍ଷରକାରୀଙ୍କ ମଧ୍ୟରେ ଇଣ୍ଡିଆ ବ୍ଲକ୍‌ର ସବୁ ସହଯୋଗୀ ଦଳର ଏମ୍‌ପିଙ୍କ ସମେତ ଆମ୍‌ ଆଦ୍‌ମୀ ପାର୍ଟି ସାଂସଦ ରହିଛନ୍ତି। କେତେଜଣ ସ୍ବାଧୀନ ଏମ୍‌ପି ନୋଟିସରେ ସ୍ବାକ୍ଷର କରିଥିବାବେଳେ ଅନ୍ୟ କେତେଜଣ ଏହି ପ୍ରକ୍ରିୟାର ଭାଗନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ପଦବୀରେ ଥିବା ଜଣେ ସିଇସିଙ୍କୁ ବହିଷ୍କାର କରିବା ଲାଗି ପାର୍ଲାମେଣ୍ଟରେ ନୋଟିସ ଅଣାଯିବା ଏହା ପ୍ରଥମ ଘଟଣା।
ମିଳିଥିବା ସୂଚନାନୁଯାୟୀ, ୧୦ ପୃଷ୍ଠାର ନୋଟିସରେ ସିଇସିଙ୍କ ବିରୋଧରେ ପକ୍ଷପାତ ଓ ଭେଦଭାବପୂର୍ଣ୍ଣ ଆଚରଣ, ଇଲେକ୍ଟୋରାଲ ପାଣ୍ଠି ତଦନ୍ତରେ ଜାଣିଶୁଣି ପ୍ରତିବନ୍ଧକ ସୃଷ୍ଟି କରିବା ଏବଂ ବହୁସଂଖ୍ୟାରେ ଲୋକଙ୍କୁ ମତାଧିକାରରୁ ବଞ୍ଚତ୍ତ କରିବା ଆଦି ୭ଟି ଅଭିଯୋଗ ରଖାଯାଇଛି। ବିଭିନ୍ନ ସମୟରେ ବିଶେଷ କରି ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)ରେ ସିଇସି ଶାସକ ଭାଜପାକୁ ସହାୟତା କରୁଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗରେ ଏସ୍‌ଆଇଆର୍‌ ପରିଚାଳନାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ନିର୍ବାଚନ କମିଶନ ବାସ୍ତବ ଭୋଟରମାନଙ୍କ ନାମ ତାଲିକାରୁ କାଟିଦେଇଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି।

 

 

 

 

Leave a Reply

Your email address will not be published. Required fields are marked *