ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ସମ୍ବଲପୁର: ବୁଧବାର ସମ୍ୱଲପୁର ଗସ୍ତ ଅବସରରେ ଏକାଧିକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରି ଜିଲାବାସୀଙ୍କୁ ନୁଆଁଖାଇ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀl ସମ୍ୱଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ମୁଖ୍ୟମନ୍ତ୍ରୀ ସମ୍ୱଲପୁର ଏବଂ ସମଗ୍ର ପଶ୍ଚିମ ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ଅତ୍ୟାଧୁନିକ ‘ମେକ୍ ଇନ୍ ଇଣ୍ଡିଆ’ ଡଫଲର ପାଣିପାଗ ରାଡାର ର ଶୁଭାରମ୍ଭ କରିବା ସହ ପ୍ରାୟ ୯୬୦ କୋଟି ଟଙ୍କାର ୫୦ଟି ଗୁରୁତ୍ୱପୂର୍ଣ୍ଣ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସମ୍ୱଲପୁର ହେଉଛି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏବଂ ‘ସମୃଦ୍ଧ ଓଡ଼ିଶା ୨୦୩୬\’ ଗଠନ ସଂକଳ୍ପରେ ସମ୍ୱଲପୁର ହେଉଛି ରାଜ୍ୟ ସରକାରଙ୍କ ବିକାଶ ଯାତ୍ରାର ମୁଖ୍ୟ କେନ୍ଦ୍ର । ନିଜ ଅଭିଭାଷଣର ଆରମ୍ଭରେ ମାଁ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏ, ଶହିଦ ମାଧୋ ସିଂ, ଛବିଲ ସାଏ, ସନ୍ଥକବି ଭୀମଭୋଇ ଓ ସ୍ୱଭାବ କବି ଗଙ୍ଗାଧର ମେହରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମ୍ୱଲପୁରୀ ଭାଷା, ସଂସ୍କୃତି, ଗୀତ ଓ ଶାଢ଼ୀ ସମଗ୍ର ଆଞ୍ଚଳିକ ପରିଚୟର ଗୌରବ । ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ ହୋଇଥିବା ୯୬୦ କୋଟି ଟଙ୍କାର ପ୍ରକଳ୍ପ ମଧ୍ୟରେ ୧୩୩.୪୭ କୋଟି ଟଙ୍କାର ୧୫ଟି ସମ୍ପୂର୍ଣ୍ଣ ପ୍ରକଳ୍ପର ଲୋକାର୍ପଣ ଏବଂ ୮୨୫.୮୩ କୋଟି ଟଙ୍କାର ୩୫ଟି ନୂତନ ପ୍ରକଳ୍ପର ଶିଳାନ୍ୟାସ ସାମିଲ ଅଛି । ଏଥିରେ ସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ (କୁଚିଣ୍ଡା ପାଇଁ ୬୦.୫୦ କୋଟି), କ୍ରୀଡ଼ା (୭୪.୭୨ କୋଟି), ସଡ଼କ ଓ କୋଠା ନିର୍ମାଣ (୫୮୫ କୋଟି) ଏବଂ ଜଳସମ୍ପଦ କ୍ଷେତ୍ରରେ ୨୨୦.୫୬ କୋଟି ଟଙ୍କାର ମେଗା ଲିଫ୍‌ଟ ଜଳସେଚନ ଓ ୮.୮୮ କୋଟି ଟଙ୍କାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅନ୍ତର୍ଭୁକ୍ତ ।

Leave a Reply

Your email address will not be published. Required fields are marked *