ବରିଷ୍ଠ ନାଗରିକଙ୍କ ପାଇଁ ପ୍ରଥମ ତୀର୍ଥଯାତ୍ରୀ ଟ୍ରେନ୍‌ ଶୁଭାରମ୍ଭ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅଧୀନରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ସ୍ୱତନ୍ତ୍ର ତୀର୍ଥଯାତ୍ରୀ ଟ୍ରେନ୍ ଶୁଭାରମ୍ଭ ହୋଇଛି। ନୂତନ ଭୁବନେଶ୍ୱର ରେଳ ଷ୍ଟେସନରୁ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ଏହି ଟ୍ରେନ୍ ଯାତ୍ରା ଆରମ୍ଭ କରିଛି। ଚଳିତ ବର୍ଷ ମୋଟ ୧୦ଟି ଟ୍ରେନ୍ ଚଳାଚଳ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୮୦୦ ଜଣ ବରିଷ୍ଠ ନାଗରିକ ଧାମ ଯାତ୍ରାରେ ବାହାରିଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଶୁଭ ଯାତ୍ରା କାମନା କରିଛନ୍ତି। ଯାତ୍ରୀମାନେ ବାରାଣସୀର ପ୍ରସିଦ୍ଧ ଗଙ୍ଗା ଆଳତୀ ସହ ଅଯୋଧ୍ୟାରେ ଶ୍ରୀରାମଲାଲାଙ୍କ ଭବ୍ୟ ମନ୍ଦିର ଦର୍ଶନ କରିବାର ସୌଭାଗ୍ୟ ପାଇବେ। ଯାତ୍ରାର ଗୋଟିଏ ଦିନ ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁଙ୍କର ସମ୍ପୂର୍ଣ୍ଣ ଶାରୀରିକ ଓ ଚିକିତ୍ସା ଯାଞ୍ଚ କରାଯାଇଛି। ଟ୍ରେନ୍‌ ମଧ୍ୟରେ ଖାଦ୍ୟ, ପାନୀୟ ଜଳ ଓ ଚିକିତ୍ସା ସେବାର ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି।  ଯାତ୍ରା ସେସରେ ସମସ୍ତ ବରିଷ୍ଠ ନାଗରିକଙ୍କୁ ସମ୍ମାନର ସହିତ ସେମାନଙ୍କ ନିଜ ନିଜ ଜିଲ୍ଲା ଓ ଘରେ ପହଞ୍ଚାଇବାର ଦାୟିତ୍ୱ ରାଜ୍ୟ ପ୍ରଶାସନ ବହନ କରିବ। ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ପରବର୍ତ୍ତୀ ଟ୍ରେନ୍‌ ପରିଚାଳିତ ହେବ।

Leave a Reply

Your email address will not be published. Required fields are marked *