ରାକ୍ଷୀ ପୂର୍ଣ୍ଣିମାରେ ଆମ ବସ୍‌ରେ ମହିଳାଙ୍କ ମାଗଣା ଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାର ମହିଳାମାନଙ୍କୁ ଏକ ନିଆରା ଭେଟି ଦେବାକୁ ଯାଉଛନ୍ତି । ରାକ୍ଷୀ ପୂର୍ଣ୍ଣିମା ଦିନ ଆମ ବସରେ ମାଗଣା ଯିବେ ମହିଳା। ଏହି ସୁବିଧା ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝର ସହରରେ ଚଳାଚଳ କରୁଥିବା ସମସ୍ତ ଆମ ବସ୍ ସେବାରେ ଉପଲବ୍ଧ ହେବ। ଏହି ପଦକ୍ଷେପ ଦ୍ୱାରା ଦିନକରେ ପ୍ରାୟ ଏକ ଲକ୍ଷରୁ ଊର୍ଦ୍ଧ୍ବ ମହିଳା ଯାତ୍ରୀ ଉପକୃତ ହେବେ ବୋଲି ଆଶା କରାଯାଉଛି। ପ୍ରତ୍ୟେକ ମହିଳା ଯେପରି ନିରାପଦ, ସୁବିଧାଜନକ ଓ ଆର୍ଥିକ ଭାରମୁକ୍ତ ଭାବେ ଯାତ୍ରା କରିପାରିବେ, ତାହା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ସରକାରଙ୍କ ମହିଳା ସଶକ୍ତିକରଣ ପ୍ରତି ପ୍ରତିବଦ୍ଧତା ସହ ଏହି ପଦକ୍ଷେପ ସମନ୍ୱିତ। ବିଶେଷକରି ସୁଭଦ୍ରା ଯୋଜନା ମାଧ୍ୟମରେ ମହିଳାଙ୍କ ସାମାଜିକ ଓ ଆର୍ଥିକ ସଶକ୍ତିକରଣ ଦିଗରେ ଚାଲିଥିବା ପ୍ରୟାସକୁ ଏହା ଆହୁରି ସୁଦୃଢ଼ କରିବ। ସୁଲଭ ଓ ସହଜ ଜନପରିବହନ ମାଧ୍ୟମରେ ମହିଳାମାନେ ନିଜର ସାମାଜିକ, ଆର୍ଥିକ ଓ ପାରିବାରିକ କାର୍ଯ୍ୟରେ ଅଧିକ ସୁବିଧାରେ ଯୋଗଦେଇପାରିବେ। ଜିପିଏସ୍ ଆଧାରିତ ବସ୍ ଟ୍ରାକିଂ, ସିସିଟିଭି ନିରୀକ୍ଷଣ, ପ୍ରଶିକ୍ଷିତ ବସ୍ କର୍ମଚାରୀ, ଯାତ୍ରୀ ସହାୟତା ବ୍ୟବସ୍ଥା ଓ ପ୍ରଯୁକ୍ତି ଆଧାରିତ ପରିଚାଳନା ଭଳି ବ୍ୟବସ୍ଥା ସହ ଆମ ବସ୍ ଓଡ଼ିଶାର ଏକ ନିରାପଦ, ସୁଲଭ ଓ ନିର୍ଭରଯୋଗ୍ୟ ସାଧାରଣ ପରିବହନ ବ୍ୟବସ୍ଥା ଭାବେ ନିଜର ପରିଚୟ ସୃଷ୍ଟି କରିଛି। ମହିଳା ଯାତ୍ରୀମାନେ ଯେପରି ଆତ୍ମବିଶ୍ୱାସର ସହ ଯାତ୍ରା କରିପାରିବେ, ସେଥିପାଇଁ କ୍ରୁଟ୍ ପକ୍ଷରୁ ନିରନ୍ତର ଭାବେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ଼ କରାଯାଉଛି। ଏହି ଦେୟମୁକ୍ତ ଯାତ୍ରା ସୁବିଧା ମାଧ୍ୟମରେ ପ୍ରତ୍ୟେକ ମହିଳାଙ୍କୁ ନିରାପଦ, ନିର୍ଭରଯୋଗ୍ୟ ଓ ସମ୍ମାନଜନକ ଯାତାୟାତ ସୁବିଧା ଯୋଗାଇବା ପ୍ରତି କ୍ରୁଟ୍ ନିଜର ପ୍ରତିବଦ୍ଧତାକୁ ପୁନଃ ଦୃଢ଼ କରୁଛି। କ୍ରୁଟ୍ ପକ୍ଷରୁ ସମସ୍ତ ଯାତ୍ରୀଙ୍କୁ ବସ୍ କର୍ମଚାରୀଙ୍କ ସହ ସହଯୋଗ କରିବା, ଯାତ୍ରୀ ଶିଷ୍ଟାଚାର ପାଳନ କରିବା ଏବଂ ଯାତ୍ରା ସମୟରେ ଜିରୋ ଟିକେଟ୍ (Zero Ticket) ନେବା ବାଧ୍ୟତାମୂଳକ ବୋଲି ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *