ସରକାରୀ କର୍ମଚାରୀ ଗିରଫ ହେବା ପରେ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରହିଲେ ହେବେ ସ୍ୱତଃ ନିଲମ୍ବିତ:ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀଙ୍କ ନିଲମ୍ୱନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଯଦି କୌଣସି ସରକାରୀ କର୍ମଚାରୀ ଗିରଫ ହେବା ପରେ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରୁହନ୍ତି, ତେବେ ତାଙ୍କୁ ସ୍ୱତଃ ନିଲମ୍ବିତ ବୋଲି ଧରାଯିବ । ଏଥିପାଇଁ ସରକାରଙ୍କ ପକ୍ଷରୁ କୌଣସି ନିଲମ୍ବନ ଆଦେଶ ଜାରି କରିବାର ଆବଶ୍ୟକତା ନାହିଁ । ଜଷ୍ଟିସ୍ ଜେ.ବି.ପାରଦୀୱାଲା ଏବଂ ଜଷ୍ଟିସ୍ ମନମୋହନଙ୍କ ଖଣ୍ଡପୀଠ ବିହାରର ସମସ୍ତିପୁର ସଦର ହସ୍ପିଟାଲର ପ୍ରଶାସକ ବିଶ୍ୱଜିତ ସିଂହଙ୍କ ଜାମିନ ମାମଲାର ଶୁଣାଣି ସମୟରେ ଏହି ଟିପ୍ପଣୀ ଦେଇଛନ୍ତି । ବିଶ୍ୱଜିତ ସିଂହଙ୍କ ବିରୋଧରେ ଜଣେ ଠିକା କର୍ମଚାରୀଙ୍କ ୩୬ ହଜାର ୪୨୧ ଟଙ୍କାର ବକେୟା ଦରମା ମଞ୍ଜୁର କରିବା ପାଇଁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ସର୍ବୋଚ୍ଚ ଅଦାଲତ ତାଙ୍କୁ ଜାମିନ ମିଳିବାର ପ୍ରାୟ ଏକ ବର୍ଷ ପରେ ଜାମିନ ରଦ୍ଦ କରାଯିବା ସଂପର୍କିତ ପାଟନା ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରିଛନ୍ତି । ଖଣ୍ଡପୀଠ କହିଥିଲେ, ଗିରଫ ହେବା ପରେ ଅଭିଯୁକ୍ତ ପ୍ରାୟ ୧୫ ଦିନ ନ୍ୟାୟିକ ହାଜତରେ ରହିଥିଲେ । ଜଣେ ସରକାରୀ କର୍ମଚାରୀ ଗିରଫ ହୋଇ ୪୮ ଘଣ୍ଟାରୁ ଅଧିକ ସମୟ ନ୍ୟାୟିକ ହେପାଜତରେ ରହିଲେ, ନିୟମ ଅନୁଯାୟୀ ତାଙ୍କୁ ସ୍ୱତଃ ନିଲମ୍ବିତ ବୋଲି ବିବେଚନା କରାଯିବ । ଏଥିପାଇଁ କୌଣସି ଭିନ୍ନ ଆଦେଶ ଜାରି କରିବାର ଆବଶ୍ୟକତା ନାହିଁ ।

Leave a Reply

Your email address will not be published. Required fields are marked *