ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା; ବିକ୍ରମ ପଣ୍ଡାଙ୍କ ସମେତ ୧୪ ଅଭିଯୁକ୍ତଙ୍କ ଉପରୁ ଉଠିଲା ହତ୍ୟା ଦଫା

ବ୍ରହ୍ମପୁର: ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ ବିରୋଧରେ ଥିବା ହତ୍ୟା ଦଫା (ବିଏନ୍‌ଏସ୍‌୧୦୩)କୁ ବାଦ୍‌ ଦେଇଛି ପୋଲିସ । ବିକ୍ରମଙ୍କ ସମେତ ୧୪ ଜଣ ଅଭିଯୁକ୍ତ ପୂର୍ବତନ ମେୟର ଶିବ ଶଙ୍କର ଦାଶ, କର୍ପୋରେଟର ମଳୟ ବିଷୋୟୀ, ବିଜେଡି ନେତା ମଦନ ଦଳେଇ, ସୀମାଞ୍ଚଳ ନାୟକ, ବିପିନ ସ୍ୱାଇଁ, ଯୋଗେନ୍ଦ୍ର ରାଉତ, କାଳୁଚରଣ ବେହେରା, ରାଜେନ୍ଦ୍ର ସାହୁ, ବିହାରରୁ ଆସିଥିବା ସହଯୋଗୀ ଶିଶୁପାଲ କୁମାର ପାଶୱାନ, କୁନ୍ଦନ ପାଶୱାନ, ଶୂନ୍ୟ ଚନ୍ଦ୍ର ଦାସ, ସୁନୀଲ ହୋତା, ଉମା ବିଷୋୟୀଙ୍କ ଉପରେ ହତ୍ୟା ଦଫା ଉଠାଯାଇଛି । ପୋଲିସ ପ୍ରଥମ ପର୍ଯ୍ୟାୟରେ ଯେଉଁ ଚାର୍ଜସିଟ୍‌ ଦେଇଥିଲା ସେଥିରେ ସମସ୍ତଙ୍କ ନାମରେ ହତ୍ୟା ଦଫା ରହିଥିଲା । କିନ୍ତୁ ତଦନ୍ତ ପରେ ଦ୍ୱିତୀୟ ପର୍ଯ୍ୟାୟ ଚାର୍ଜସିଟ୍‌ ଦାଖଲ କରିବା ସମୟରେ ଉପରୋକ୍ତ ଅଭିଯୁକ୍ତଙ୍କ ଉପରୁ ହତ୍ୟା ଦଫା ଉଠାଇ ଦେଇଛି । ପୀତବାସଙ୍କୁ ଗୁଳି କରିଥିବା ମୁଖ୍ୟ ଅଭିଯୁକ୍ତ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ନାମରେ ରହିଛି ହତ୍ୟା ଦଫା । ସେପଟେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ସଂଗଠିତ ଅପରାଧ (ବିଏନ୍‌ଏସ୍‌ ୧୧୧) ଦଫା ରହିଛି । ଅଭିଯୁକ୍ତଙ୍କ ଆଇନଜୀବୀ ଦୀପକ ପଟ୍ଟନାୟକ କହିଛନ୍ତି, ପୋଲିସ ତଦନ୍ତ ରିପୋର୍ଟ ଅନୁସାରେ ଚାର୍ଜସିଟ୍‌ରେ ୧୪ ଜଣଙ୍କ ହତ୍ୟା ଦଫା ଉଠାଇଛି । ମାମଲା କୋର୍ଟରେ ବିଚାରାଧୀନ ରହିଛି ।

Leave a Reply

Your email address will not be published. Required fields are marked *