ନିଶା ନିବାରଣ କେନ୍ଦ୍ରରେ ଯାଉଛି ଜୀବନ; ସରକାର ମାଗିଲେ ରିପୋର୍ଟ

ଭୁବନେଶ୍ୱର: ରାଜ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକରେ ସନ୍ଦେହଜନକ ମୃତ୍ୟୁ ଅଭିଯୋଗ ଆସୁଛି । ଏନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ନେଇଛନ୍ତି । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସମସ୍ତ ଜିଲ୍ଲାର ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ଜିଲ୍ଲାରେ କାର୍ଯ୍ୟକ୍ଷମ ସମସ୍ତ ନିଶା ନିବାରଣ କେନ୍ଦ୍ରର ସବିଶେଷ ତଥ୍ୟ ୭ ଦିନ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଭାଗୀୟ ଅତିରିକ୍ତ ସଚିବ ସୋନିଆ ବେହେରା । ଏହା ସହ ପଞ୍ଜୀକରଣ ଓ ନିୟନ୍ତ୍ରଣ ପାଇଁ ନୂଆ ଏସ୍‌ଓପି ପ୍ରସ୍ତୁତ କରାଯିବ ବୋଲି ଖବର ମିଳିଛି ।
ଗତ ସପ୍ତାହରେ ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳର ଏକ ଘରୋଇ ନିଶା ନିବାରଣ କେନ୍ଦ୍ରରେ ଜଣଙ୍କର ମୃତ୍ୟୁକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରିବାର ଲୋକେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ । ଏହା ସହ ଗତ କିଛି ଦିନ ମଧ୍ୟରେ ଅନ୍ୟ କେତେକ ନିଶା ନିବାରଣ କେନ୍ଦ୍ରକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ତେଣୁ ରାଜ୍ୟ ସରକାର ସମଗ୍ର ବ୍ୟବସ୍ଥାର ସମୀକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି । ବିଭାଗର ଅତିରିକ୍ତ ସଚିବ ସୋନିଆ ବେହେରାଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ, କେନ୍ଦ୍ର ସରକାର, ରାଜ୍ୟ ସରକାର ଓ ବେସରକାରୀ ସଂସ୍ଥା ପରିଚାଳିତ ସମସ୍ତ ନିଶା ନିବାରଣ କେନ୍ଦ୍ରର ତଥ୍ୟ ନିର୍ଦ୍ଧାରିତ ଫର୍ମାଟରେ ସଂଗ୍ରହ କରି ବିଭାଗକୁ ପଠାଇବାକୁ କୁହାଯାଇଛି । ରିପୋର୍ଟରେ ପ୍ରତ୍ୟେକ କେନ୍ଦ୍ରର ନାମ, ଠିକଣା, ଯୋଗାଯୋଗ ବିବରଣୀ, ପାଣ୍ଠିର ଉତ୍ସ, ଅନ୍ତେବାସୀ ଧାରଣ କ୍ଷମତା, ସୋସାଇଟି, ଚାରିଟେବୁଲ ଟ୍ରଷ୍ଟ କିମ୍ବା କମ୍ପାନୀ ଆଇନ ଅନୁଯାୟୀ ପଞ୍ଜିକରଣ ସ୍ଥିତି ଏବଂ ମାନସିକ ସ୍ୱାସ୍ଥ୍ୟ ସେବା ଆଇନ-୨୦୧୭ ଅନୁଯାୟୀ ପଞ୍ଜିକୃତ କି ନାହିଁ ସେ ସମ୍ପର୍କିତ ସମସ୍ତ ତଥ୍ୟ ଦେବାକୁ ନିର୍ଦ୍ଦେଶ ରହିଛି । ପଞ୍ଜିକରଣ ବର୍ଷ ଓ ସମ୍ପର୍କିତ ବିବରଣୀ ମଧ୍ୟ ଉଲ୍ଲେଖ କରିବାକୁ କୁହାଯାଇଛି । ନିଶା ନିବାରଣ କେନ୍ଦ୍ରଗୁଡ଼ିକର ପଞ୍ଜିକରଣ, ପରିଚାଳନା ଓ ନିୟନ୍ତ୍ରଣ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍‌ଓପି) ପ୍ରସ୍ତୁତ କରାଯିବ ।

Leave a Reply

Your email address will not be published. Required fields are marked *