ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ବାନ୍ଧି ହେଲେ ୨୨ ଯୋଡ଼ା ବରବଧୂ

ଭୁବନେଶ୍ୱର: ଆଜି ଭଦ୍ରକ ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଟାଉନ୍‌ ହଲ୍‌ ପରିସରରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ୨୨ ଜଣ କନ୍ୟାଙ୍କ ସାମୂହିକ ବିବାହ ଅନୁଷ୍ଠିତ ହୋଇଛି । ଉକ୍ତ କାର୍ଯ‍୍ୟକ୍ରମରେ ମୁଖ‍୍ୟ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ପ୍ରଦୀପ ବଳସାମନ୍ତ ଯୋଗଦେଇଥିଲେ। ସେ କହିଥିଲେ, ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଦୁର୍ବଳ ପରିବାରର ଝିଅମାନଙ୍କ ବିବାହକୁ ସମ୍ମାନଜନକ ଭାବେ ସମ୍ପନ୍ନ କରିବାରେ ସରକାର ଏକ ମାନବିକ ପଦକ୍ଷେପ ନେଇଛନ୍ତି। ଏହି ଯୋଜନା କେବଳ ଆର୍ଥିକ ସହାୟତା ନୁହେଁ, ବରଂ କନ୍ୟା ସନ୍ତାନଙ୍କ ପ୍ରତି ସମାଜର ଦୃଷ୍ଟିଭଙ୍ଗୀକୁ ସକାରାତ୍ମକ କରିବାର ଏକ ସାର୍ଥକ ପ୍ରୟାସ। ‘ପ୍ରତ୍ୟେକ କନ୍ୟା ସମ୍ମାନ, ସ୍ନେହ ଓ ସୁରକ୍ଷାର ଅଧିକାରୀ’ ଏହି ବାର୍ତ୍ତାକୁ ସମାଜରେ ପହଞ୍ଚାଇବା ହେଉଛି ଏହି ଯୋଜନାର ମୂଳ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ, ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ବିଧାୟକ ଓ ଜିଲ୍ଲା ଯୋଜନା ବୋର୍ଡ ଅଧ୍ଯକ୍ଷ ସୀତାଂଶୁ ଶେଖର ମହାପାତ୍ର ଜିଲ୍ଲାପାଳ ଦିଲୀପ ରାଉତରାଏ, ଭଦ୍ରକ ପଞ୍ଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶାନ୍ତିଲତା ସେଠୀ, ଭଣ୍ଡାରିପୋଖରୀ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ବାସୁଦେବପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ନାଗେନ୍ଦ୍ର ବିଶ୍ୱାଳ, ବାସୁଦେବପୁର ପୌରପାଳିକା ଅଧ୍ୟକ୍ଷା ନିବେଦିତା ବେହେରା ଓ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ଗୁଲମକି ହବିବ ଉପସ୍ଥିତ ରହିଥିଲେ। ପ୍ରମୁଖ ଉପସ୍ଥିତ ରହି ନବବିବାହିତ ବରବଧୂଙ୍କୁ ଆଶୀର୍ବାଦ ଦେଇଥିଲେ। ବିବାହ କରିଥିବା ସମସ୍ତ ୨୨ ଜଣ କନ୍ୟାମାନଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥି ମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାମାନଙ୍କ ବ୍ୟାଙ୍କ୍ ଖାତାକୁ ପଠାଇ ଦିଆଯାଉଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ନିମନ୍ତେ ଖର୍ଚ୍ଚ କରାଯାଉଛି। ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ଫେଲୋସିପ୍‌, ଭଦ୍ରକ ଏବଂ ଜିଲ୍ଲା ପ୍ରଶାସନ ତଥା ମହିଳା ଓ ଶିଶୁ ବିକାଶ ବିଭାଗର ତତ୍ତ୍ବାବଧାନରେ ସମ୍ପାଦିତ ହୋଇଛି। ବିବାହ ସମ୍ପର୍ଣ୍ଣ ପରେ ସମସ୍ତ ନବ ବିବାହିତ ଦମ୍ପତି ଯୌତୁକ ପ୍ରଥା ବିରୋଧରେ ପ୍ରତିଜ୍ଞା ନେଇଛନ୍ତି। କାର୍ଯ‍୍ୟକ୍ରମକୁ ଜିଲ୍ଲା ସୂଚନା ଅଧିକାରିଣୀ ମଧୁସ୍ମିତା ମହାପାତ୍ର ପରିଚାଳନା କରିଥିଲେ। ଫେଲୋସିପ୍‌ର ସଭାପତି ଝରଣା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ଫେଲୋସିପ୍‌ର ସମ୍ପାଦକ ଲଲାଟେନ୍ଦୁ ମହାନ୍ତି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ରୂପାଲି ମିତ୍ର ଓ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *