ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା: ୧୭ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର

ନୂଆଦିଲ୍ଲୀ: ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୫ ଘୋଷଣା କରିଛି କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ। ବିଭିନ୍ନ କ୍ରୀଡ଼ାରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ ସଂଗଠନଗୁଡ଼ିକୁ ଏହି ସମ୍ମାନ ମିଳିବ। ଅବସରପ୍ରାପ୍ତ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଅରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଚୟନ କମିଟିର ସୁପାରିସ୍‌ ଆଧାରରେ ପୁରସ୍କାର ବିଜେତାଙ୍କୁ ଚୟନ କରାଯାଇଛି। କମିଟିରେ ବିଶିଷ୍ଟ କ୍ରୀଡ଼ାବିତ୍‌, କ୍ରୀଡ଼ା ପ୍ରଶାସକ ଓ କ୍ରୀଡ଼ା ସାମ୍ବାଦିକତା କ୍ଷେତ୍ରର ଅଭିଜ୍ଞ ବ୍ୟକ୍ତିମାନେ ରହିଥିଲେ। ୨୦୨୫ ବର୍ଷ ପାଇଁ ମୋଟ ୧୭ ଜଣ କ୍ରୀଡ଼ାବିତ୍‌ଙ୍କୁ ଅର୍ଜୁନ ପୁରସ୍କାର ପାଇଁ ଚୟନ କରାଯାଇଛି। ଗତ ୪ ବର୍ଷର ନିରନ୍ତର ଉତ୍କୃଷ୍ଟ ପ୍ରଦର୍ଶନ ସହ ନେତୃତ୍ୱ, କ୍ରୀଡ଼ା ମନୋଭାବ ଓ ଶୃଙ୍ଖଳାକୁ ଆଧାର କରି ଏହି ଚୟନ ହୋଇଛି।
କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଆଥଲେଟ୍‌ ତେଜସ୍ୱିନ ଶଙ୍କର, ମହମ୍ମଦ ଅଜମଲ ଭି ଓ ପ୍ରିୟଙ୍କା ଗୋସ୍ୱାମୀ, ବ୍ୟାଡମିଣ୍ଟନ ଖେଳାଳି ତ୍ରୀସା ଜଲି ଓ ପୁଲେଲା ଗାୟତ୍ରୀ ଗୋପୀଚନ୍ଦ, ବକ୍ସର ନରେନ୍ଦର ଏବଂ ଚେସ୍‌ ଖେଳାଳି ବିଦିତ ସନ୍ତୋଷ ଗୁଜରାଠୀ ଓ ଦିବ୍ୟା ଜିତେନ୍ଦ୍ର ଦେଶମୁଖଙ୍କୁ ପୁରସ୍କାର ଦିଆଯିବ | ସେହିପରି ଡେଫ୍‌ ସୁଟର ଧନୁଷ ଶ୍ରୀକାନ୍ତ, ହକି ଖେଳାଳି ଲାଲରେମସିଆମି ଓ ରାଜକୁମାର ପାଲ, କବାଡ଼ି ଖେଳାଳି ସୁରଜିତ ଓ ପୂଜା, ପାରା-ସୁଟର ରୁଦ୍ରାଂଶ ଖଣ୍ଡେଲୱାଲ, ପାରା-ଆଥଲେଟ୍‌ ଏକତା ଭ୍ୟାନ, ରୋୱର ଅରବିନ୍ଦ ସିଂହ ଓ ସୁଟର ଅଖିଲ ଶିଓରାନଙ୍କୁ ମଧ୍ୟ ଅର୍ଜୁନ ପୁରସ୍କାର ମିଳିବ। ଫୁଟବଲ୍‌ କ୍ଷେତ୍ରରେ ଆଇ. ଅରୁମାଇନାୟଗମ୍‌ଙ୍କୁ ଅର୍ଜୁନ ପୁରସ୍କାର (ଲାଇଫ୍‌ଟାଇମ୍‌) ପ୍ରଦାନ କରାଯିବ। ଉତ୍କୃଷ୍ଟ ପ୍ରଶିକ୍ଷକଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାରର ନିୟମିତ ଓ ଆଜୀବନ ବର୍ଗର ବିଜେତାଙ୍କ ନାମ ମଧ୍ୟ ଘୋଷଣା ହୋଇଛି। ଆଥଲେଟିକ୍ସ ପାଇଁ ପରବୀର ସିଂହ, ବକ୍ସିଂ ପାଇଁ ଛୋଟେ ଲାଲ ଯାଦବ ଏବଂ ସୁଟିଂ ପାଇଁ ନେହା ନନ୍ଦକୁମାର ଚଭାଣଙ୍କୁ ଚୟନ କରାଯାଇଛି। ଆଜୀବନ ବର୍ଗରେ ବକ୍ସିଂ ପାଇଁ ଧର୍ମେନ୍ଦ୍ର ସିଂହ ଯାଦବ ଓ କୁସ୍ତି ପାଇଁ ବୀରେନ୍ଦ୍ର କୁମାରଙ୍କୁ ସମ୍ମାନ ମିଳିବ। କ୍ରୀଡ଼ାବିତ୍‌, ପ୍ରଶିକ୍ଷକ ଓ ବିଭିନ୍ନ ସଂସ୍ଥାଠାରୁ ଅନଲାଇନ୍‌ ଆବେଦନ ମିଳିବା ପରେ ଚୟନ କମିଟି ଏଗୁଡ଼ିକର ଯାଞ୍ଚ କରି ପୁରସ୍କାର ପାଇଁ ନାମ ସୁପାରିସ୍‌ କରିଥିଲା।

Leave a Reply

Your email address will not be published. Required fields are marked *