ପିପିଲି ଟୋଲ ଗେଟ୍‌ରେ ନାହିଁ ଟୋଲ ଟିକସ;ରଥଯାତ୍ରାରେ ଟୋଲ ଫ୍ରି ଯାତ୍ରା

ଭୁବନେଶ୍ୱର: ରାଜ୍ୟ ସରକାର ଓ ପରିବହନ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଆସିଛି ଖୁସି ଖବର। ରଥଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ସୁନାବେଶ ଦିନ ସମସ୍ତ ପ୍ରକାର ଗାଡ଼ି ପାଇଁ ଟୋଲ ଫି ଛାଡ଼ କରାଯିବ। ବିଶେଷକରି ପିପିଲି ଟୋଲ ଗେଟ୍‌ରେ ଏହି ଦିନଗୁଡ଼ିକରେ କୌଣସି ଟୋଲ ଟିକସ ଆଦାୟ ହେବ ନାହିଁ। ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁବିଧାକୁ ଆଖିଆଗରେ ରଖି ପରିବହନ କମିଶନର ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମୟରେ ଯାତାୟାତ ଓ ଗାଡ଼ି ପରିଚାଳନା ପାଇଁ ବିଭିନ୍ନ ନିଷ୍ପତ୍ତି ନିଆଯାଇଛି। ଅନ୍ୟ ଏକ ଆକର୍ଷଣ ହେଉଛି, ପୁରୀର ବିଭିନ୍ନ ପାର୍କିଂ ସ୍ଥଳରୁ ବଡ଼ଦାଣ୍ଡ ପର୍ଯ୍ୟନ୍ତ ଭକ୍ତମାନଙ୍କୁ ପହଞ୍ଚାଇବା ପାଇଁ ୪୦୦ଟି ଇଲେକ୍ଟ୍ରିକ୍ ଗାଡ଼ି ଚଳାଚଳ କରିବ। ଏହି ଇକୋ-ଫ୍ରେଣ୍ଡଲି ଗାଡ଼ିଗୁଡ଼ିକ ଭକ୍ତମାନଙ୍କ ପାଇଁ ସୁବିଧାଜନକ ଯାତ୍ରା ଦେବ । ରଥଯାତ୍ରା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ହଜାରେ ବସ୍‌ ଚଳାଚଳ କରିବ। ବାହାର ରାଜ୍ୟ ଓ ପର୍ଯ୍ୟଟକ ବସ୍‌ଗୁଡ଼ିକ ମାଳତୀପାଟପୁର ବସ୍ ଟର୍ମିନାଲ୍ ପର୍ଯ୍ୟନ୍ତ ଆସିବାକୁ ଥିବାବେଳେ, ନିୟମିତ ବସ୍‌ଗୁଡ଼ିକ ତାଳବଣିଆ ପର୍ଯ୍ୟନ୍ତ ଯିବ। ଏହା ସହିତ ଉଭୟ ସ୍ଥାନରେ ପାର୍କିଂର ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶ୍ରଦ୍ଧାଳୁଙ୍କ ସ୍ୱାସ୍ଥ୍ୟ ଓ ସୁବିଧାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ସମସ୍ତ ବସ୍‌ରେ ORS ଓ ପାନୀୟ ଜଳ ବ୍ୟବସ୍ଥା ରହିବ। ବସ୍ ଷ୍ଟାଣ୍ଡଗୁଡ଼ିକରେ ମାଗଣା ଖାଦ୍ୟ ବଣ୍ଟନ କରାଯିବ। ଏହାସହ କୌଣସି ଗାଡ଼ି ଅଚଳ ହେଲେ ତୁରନ୍ତ ହଟାଇବା ପାଇଁ କ୍ରେନ୍ ଓ ସ୍ଥାନେ ସ୍ଥାନେ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ମୁତୟନ ହେବେ।

Leave a Reply

Your email address will not be published. Required fields are marked *