ଭୁବନେଶ୍ୱର:ଏଣିକି ସହଜରେ ଠକି ପାରିବେନି ବିଲଡର୍। ପ୍ରତି ତିନି ମାସରେ ପ୍ରୋଗ୍ରେସ୍ ରିପୋର୍ଟ ବା (QPR) ଦାଖଲ କରିବା ବାଧ୍ୟତାମୂଳକ। ଖିଲାପ କଲେ ବିଲଡର୍ସଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହେବା ସହ ରେଜିଷ୍ଟ୍ରେସନ ବି ବାତିଲ କରିପାରେ ଓରେରା। କ୍ରେତାଙ୍କ ସ୍ବାର୍ଥ ଓ ଫ୍ଲାଟ୍ କିଣାରେ ସ୍ବଚ୍ଛତା ଅବଲମ୍ବନ କରିବାପାଇଁ ଏଭଳି ପ୍ରୟାସ ଆରମ୍ଭ କରିଛି ଓରେରା।ନିୟମ ଅନୁଯାୟୀ, ପ୍ରକଳ୍ପ ଆରମ୍ଭରୁ ବିଲଡର କ୍ରେତାକୁ ଘର ବିକ୍ରି କରିବାପାଇଁ ଯାହା ଯାହା ସର୍ତ୍ତ ରଖିଥିବେ ତାହା ସେ ତ୍ରୈମାସିକ ପ୍ରୋଗ୍ରେସ ରିପୋର୍ଟ- QPR ରେ ଉଲ୍ଲେଖ କରିବେ। ରିଅଲ୍ ଇଷ୍ଟେଟ୍ ଆଇନ ଅନୁଯାୟୀ ବିଲଡର୍ QPR ଓରେରାରେ ଦାଖଲ କରିବା ବାଧ୍ୟତାମୂଳକ।ଯେଉଁଥିରେ ମୂଳ ପ୍ରକଳ୍ପର ସ୍ଥିତାବସ୍ଥା, ଯୋଜନା ଓ ସମୟସୀମା ଅନୁସାରେ କେତେ ପ୍ରତିଶତ ନିର୍ମାଣ କାମ ଆଗେଇଛି, ତାର ବିବରଣୀ ରହିବ। ତାସହିତ ପ୍ରକଳ୍ପର ଆର୍ଥିକ ସ୍ଥିତି, ଯେମିତିକି କ୍ରେତାଙ୍କଠାରୁ ଗ୍ରହଣ କରାଯାଇଥିବା ରାଶି ଓ ନିର୍ମାଣ କାମରେ ବ୍ୟବହୃତ ଅର୍ଥ ଏବଂ କେବେ ସୁଦ୍ଧା ଘର ହସ୍ତାନ୍ତର କରିବ ଏସବୁ ତଥ୍ୟ ବି ରହିବ। ଏହି ନିୟମ ପୂର୍ବରୁ ଥିଲା ହେଲେ ଅଧିକାଂଶ ବିଲଡର ଏହାକୁ ମାନୁନଥିଲେ। ଖିଲାପକାରୀ ଅତିବେଶିରେ ୫-୧୦ ହଜାର ଟଙ୍କା ଫାଇନ୍ ଦେଇ ଖସି ଯାଉଥିଲେ। ଅଧିକାଂଶ ସମୟରେ କ୍ରେତାଙ୍କୁ ଠକାମୀର ଶିକାର ହେବାକୁ ପଡୁଥିଲା। ଏବେ କିନ୍ତୁ ଠିକ୍ ସମୟରେ ରିପୋର୍ଟ ଦାଖଲ ନକଲେ ପୁରା ପ୍ରକଳ୍ପ ମୂଲ୍ୟର ୫ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ। ବିଲଡରମାନେ ଓରେରା ୱେବସାଇଟରେ QPR ସଂପର୍କିତ ସମସ୍ତ ତଥ୍ୟ ଅପଡେଟ୍ ରଖିବା ପାଇଁ ନିର୍ଦ୍ଦେଶ ରହିଛି। ଫଳରେ ଜଣେ କ୍ରେତା ଯେଉଁ ସମୟରେ ବି ଚାହିଁବ କିଣିବାକୁ ଯାଉଥିବା ଘର ସଂପର୍କରେ ସବୁ ତଥ୍ୟ ପାଇପାରିବେ। ଅନେକ କ୍ଷେତ୍ରରେ ବିଲଡରମାନେ କ୍ରେତାଙ୍କଠାରୁ ନେଇଥିବା ଟଙ୍କାକୁ ଅନ୍ୟ ପ୍ରୋଜେକ୍ଟରେ ନିବେଶ କରୁଥିଲେ। ଯେଉଁଥିପାଇଁ ଠିକ୍ ସମୟରେ ଘର ପାଇପାରୁନଥିଲେ କ୍ରେତା। ଯେଉଁ ବିଲଡରମାନେ QPR ଦାଖଲ କରିବେନି କିମ୍ବା ବାରମ୍ବାର ଉଲ୍ଲଂଘନ କରିବେ ରେରା ସେମାନଙ୍କ ପ୍ରକଳ୍ପ ପଞ୍ଜୀକରଣ ବାତିଲ ସହ ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇପାରିବ ବୋଲି କହିଛନ୍ତି ରେରା ଅଧ୍ୟକ୍ଷ।ରାଜ୍ୟରେ ଦେଢ ହଜାରରୁ ଅଧିକ ପ୍ରମୋଟର୍ସ ଥିବା ବେଳେ ଏଯାଏ QPR ଦାଖଲ କରିନଥିବାରୁ ୧୧୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ରିପୋର୍ଟ ଦାଖଲକୁ ନେଇ ଅସନ୍ତୁଷ୍ଟ କ୍ରେତାମାନେ ବି ଓରେରା ନିକଟରେ ଅଭିଯୋଗ ଦାଖଲ କରିପାରିବେ।
ପ୍ରତି ତିନିମାସରେ ବିଲ୍ଡର ଦେବେ ତ୍ରୈମାସିକ ପ୍ରୋଗ୍ରେସ୍ ରିପୋର୍ଟ
