ଫାର୍ମାସି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପାଇଁ ଲାଞ୍ଚ ନେଲାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ସିନିୟର ଆସିଷ୍ଟାଣ୍ଟ

ଭୁବନେଶ୍ୱର:ଭିଜିଲାନ୍ସ ହାତରେ ଧରାପଡ଼ିଲେ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ୍‌ର ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନ ପଟ୍ଟନାୟକ ଓରଫ ରାଜା ଓ ତାଙ୍କ ସହଯୋଗୀ ମହମ୍ମଦ ଇଜାଜ ଖାନ୍‌ ଓରଫ ପୃଷ୍ଟି। ଫାର୍ମାସି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ରଦାନ ପାଇଁ ଜଣେ ଆବେଦନକାରୀଙ୍କଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏନେଇ ଭିଜିଲାନ୍ସ ପକ୍ଷରୁ ଏକ ଲାଞ୍ଚ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି।ଫାର୍ମାସି ରେଜିଷ୍ଟ୍ରେଶନ ସାର୍ଟିଫିକେଟ ପ୍ରଦାନ ପାଇଁ ଆବେଦନକାରୀ ସପ୍ତାହେ ହେଲାଣି ସିନିୟର ଆସିଷ୍ଟାଣ୍ଟ ବିଶ୍ୱମୋହନଙ୍କୁ ଅନୁରୋଧ କରିଆସୁଥିଲେ। କିନ୍ତୁ କାମ କରିଦେବା ପାଇଁ ବିଶ୍ୱମୋହନ ତାଙ୍କୁ ୯ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନ ଦେଲେ କାମ ହେବନାହିଁ ବୋଲି ମନାକରି ଦେଇଥିଲେ। ଶେଷରେ ଏନେଇ ଅଭିଯୋଗକାରୀ ଭିଜିଲାନ୍ସକୁ ଜଣାଇଥିଲେ। ମଙ୍ଗଳବାର ଆବେଦନକାରୀ ଭୁବନେଶ୍ୱରସ୍ଥିତ ଓଡ଼ିଶା ଫାର୍ମାସି କାଉନ୍‌ସିଲ କାର୍ଯ୍ୟାଳୟ ସମ୍ମୁଖରେ ବିଶ୍ୱମୋହନଙ୍କୁ ଭେଟିଥିବା ବେଳେ ସେ ପୁନର୍ବାର ଲାଞ୍ଚ ଦାବିକରି ତାଙ୍କ ସହଯୋଗୀ ଇଜାଜଙ୍କୁ ଦେବାକୁ କହିଥିଲେ। ଏହାପରେ ଘଟଣା ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ଆବେଦନକାରୀ। ଯୋଜନା ଅନୁସାରେ ଆବେଦନକାରୀ ଇଜାଜ୍‌ଙ୍କ ଜରିଆରେ ବିଶ୍ୱମୋହନଙ୍କୁ ଲାଞ୍ଚ ଅର୍ଥ ଦେଇଥିଲେ। ସେହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉକରି ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ। ସେମାନଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ (୯ ହଜାର) ଜବତ କରାଯାଇଛି। ଲାଞ୍ଚ ନେଇ ଧରାପଡ଼ିବା ପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ବିଶ୍ୱମୋହନଙ୍କ ଆଦିମାତା କଲୋନୀରେ ଥିବା ଘର ଏବଂ ଅଫିସରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ବିଶ୍ୱମୋହନ ପଟ୍ଟନାୟକ ବାହୁ କୁସ୍ତିରେ ଦେଶ ଓ ରାଜ୍ୟ ପାଇଁ ପଦକ ଜିତିଛନ୍ତି। କ୍ରୀଡ଼ା କୋଟାରେ ସେ ଚାକିରି କରିଥିଲେ l

Leave a Reply

Your email address will not be published. Required fields are marked *