ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କଲେ ଦ୍ରୌପଦୀ ମୁର୍ମୁ

ପୁରୀ:ଶ୍ବେତଗଙ୍ଗାରେ ପିଣ୍ଡଦାନ ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ଦ୍ରୌପଦୀ ମୁର୍ମୁ । ସକାଳ ୭ଟା ୪୦ ମିନିଟରେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିଥିଲେ । ଅରୁଣ ସ୍ତମ୍ଭରେ ମୁଣ୍ଡିଆ ମାରି ଭିତରେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ କରି ଭାବବିହ୍ବଳ ହୋଇପଡିଥିଲେ ରାଷ୍ଟ୍ରପତି। ଗର୍ଭଗୃହରୁ ବାହାରିବା ପରେ ବାଇଶି ପାହାଚରେ କିଛି ସମୟ ବସିଥିଲେ । ମୁକ୍ତି ମଣ୍ଡପ ପଣ୍ଡିତଙ୍କ ଆଶୀର୍ବାଦ ନେଇ ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ କରିଥିଲେ। ଶ୍ରୀମନ୍ଦିର ପ୍ରବେଶ ସମୟରେ ସାତ ପାହାଚରେ ଶୁଭିଥିଲା ବେଦ ଧ୍ଵନି । ଏହାପରେ ବଡ଼ ଦାଣ୍ଡରେ ଚାଲି ଚାଲି ଯାଇଥିଲେ। ପ୍ରାୟ ୪୫ ମିନିଟ ଧରି ଶ୍ରୀମନ୍ଦିରରେ ରହିଥିଲେ ରାଷ୍ଟ୍ରପତି। ସେବାୟତଙ୍କ ପକ୍ଷରୁ ପଲ୍ଲବ ଉପହାର ଦିଆଯାଇଥିଲା। ମହାପ୍ରଭୁଙ୍କ ରତ୍ନ ସିଂହାସନ ସ୍ଥିତ ଦୁର୍ଲଭ ସୁନାବେଶର ପଟ୍ଟ ଚିତ୍ର ଉପହାର ଦେଇଥିଲେ ଶ୍ରୀମନ୍ଦିର ପ୍ରଶାସନ ।ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ସକାଳ ୬ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା । ମହାପ୍ରଭୁଙ୍କୁ ଦର୍ଶନ ପୂର୍ବରୁ ପ୍ରଥମେ ଶ୍ବେତଗଙ୍ଗାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଥିଲେ ଦ୍ରୌପଦୀ ମୁର୍ମୁ। ସାବତ ନିଯୋଗ ପକ୍ଷରୁ ସେବାୟତମାନେ ରାଷ୍ଟ୍ରପତିଙ୍କ ପିଣ୍ଡଦାନ ପ୍ରକ୍ରିୟାରେ ସହଯୋଗ କରିଥିଲେ । ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ,ମୁଖ୍ୟମନ୍ତ୍ରୀ ମୋହନ ମାଝୀ,ଗଜପତି ଦିବ୍ୟସିଂହ ଦେବ ,ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *