ରେଡ କରି ଫେରିବା ବେଳେ ଇଡି ଉପରେ ଆକ୍ରମଣ

କେରଳମ:ବୁଧବାର ଦିନ କେରଳମର ପୂର୍ବତନ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ତାଙ୍କ ଝିଅଙ୍କ ଠିକଣାରେ ରେଡ କରିଥିବା ଇଡି ଟିମ ଉପରେ ଆକ୍ରମଣ ହୋଇଛି । ଇଡି ରେଡକୁ ବିରୋଧ କରି ସିପିଆଇଏମ କର୍ମୀମାନେ ଏପରି ଆକ୍ରମଣ କରିଛନ୍ତି।ଅଧିକାରୀମାନେ ଲାଞ୍ଚ କରାବାର ମାମଲାରେ ରେଡ କରି ଫେରୁଥିବା ବେଳେ ଶତାଧିକ ସିପିଆଇ(ଏମ) କର୍ମୀ ସେମାନଙ୍କ ଗାଡ଼ିକୁ ଅଟକା ପଥର ମାଡ଼ କରିଛନ୍ତି। ଏଥିଯୋଗୁ ଅଧିକାରୀମାନେ ବସିଥିବା କାରର କାଚ ସବୁ ଗୁଣ୍ଡ ହୋଇଯାଇଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ମହିଳା ଓ ପୁରୁଷ ଅଧିକାରୀମାନଙ୍କୁ ରେଡ ପରେ ନେଇ ଯାଉଥିବା ଗୋଟିଏ କାରକୁ ବିଜୟନଙ୍କ ଦଳର କର୍ମୀମାନେ ଅଟକାଇଥିଲେ। ଏହାପରେ ସେମାନେ ରେଡ ବିରୋଧରେ ନାରାବାଜୀ କରି କାରର ଆଗ ଓ ପଛ କାଚକୁ ଭାଙ୍ଗି ଦେଇଛନ୍ତି।କେନ୍ଦ୍ରୀୟ ଏଜେନ୍ସିର କନଭୟରେ ୪ ଜଣ ଇଡି ଅଧିକାରୀ ଓ ୮ ଜଣ ସିଆରପିଏଫ ଯବାନ ରହିଥିଲେ। ଆକ୍ରମଣରେ କାରର ଜଣେ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଇଡି ପକ୍ଷରୁ ବିଜୟନଙ୍କ ୧୦ଟି ଠିକଣାରେ ରେଡ କରାଯାଇଛି। ଏହା ମଧ୍ୟରେ ଥିରୁଅନନ୍ତପୁରମରେ ଥିବା ବିଜୟଙ୍କ ବର୍ତ୍ତମାନର ଘର, କନ୍ନୁରରେ ଥିବା ତାଙ୍କ ଜନ୍ମ ସ୍ଥାନ ଓ କୋଝିକୋଡ଼ରେ ଥିବା ତାଙ୍କ ଜ୍ୱାଇଁଙ୍କ ଘର ରହିଛି। ବୁଧବାର ସକାଳୁ ରେଡ ହୋଇଥିବା ବେଳେ ବିଜୟନ ଓ ତାଙ୍କ ପରିବାର ସଦସ୍ୟ ଘର ଭିତରେ ହିଁ ରହିଥିଲେ। ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଶତାଧିକ ସିପିଆଇ(ଏମ) କର୍ମୀମାନେ ବିଜୟନଙ୍କ ଘର ପାଖରେ ପହଞ୍ଚି କେନ୍ଦ୍ରୀୟ ଏଜେନ୍ସିର ବିରୋଧ କରିଥିଲେ।କିଛି ବିକ୍ଷୋଭକାରୀ ବିଜୟନଙ୍କ ଘର ବାହାରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରକୁ ବୋତଲ, ହେଲମେଟ ଓ ପଥର ମାଡ଼ ବି କରିଥିଲେ। ଏହା ଦେଖି ବରିଷ୍ଠ ସିପିଆଇ (ଏମ) ନେତାମାନେ ହସ୍ତକ୍ଷେପ କରିଥିଲେ ଓ କର୍ମୀମାନଙ୍କୁ ହିଂସାତ୍ମକ ବିକ୍ଷୋଭରୁ ଦୂରେଇ ରହିବାକୁ କହିଥିଲେ। ପରେ କିଛି ସମୟ ପାଇଁ ସ୍ଥିତିରେ ସୁଧାର ଆସିଥିଲା। କିନ୍ତୁ ଇଡି ଅଧିକାରୀମାନେ ବିଜୟନଙ୍କୁ ଘରୁ ବାହାରିବା ମାତ୍ରେ ପୁଣି ସେମାନଙ୍କୁ ଆକ୍ରମଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *