ଜମ୍ମୁ କାଶ୍ମୀର କୁଲଗାମରେ ଆତଙ୍କବାଦୀ ଆକ୍ରମଣ: ତିନି ସିଆରପିଏଫ ଯବାନ ଗୁରୁତର

ଜମ୍ମୁ କାଶ୍ମୀର: ଜାମୁକାଶ୍ମୀରର କୁଲଗାମରେ ସିଆରପିଏଫ ଚେକ ପୋଷ୍ଟ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ଼ କରିଛନ୍ତି । ବାଇକରେ ଆସିଥିବା ୨ ଜଣ ଆତଙ୍କବାଦୀ କରିଥିବା ହମଲାର କିଛି ଦୃଶ୍ୟ ଓ ଗୁଳିମାଡ଼ର ଶବ୍ଦ ସିସିଟିଭିରେ କଏଦ ହୋଇଛି। ମୀର ବଜାର ନିକଟ ଅଖରନ ସ୍ଥିତ ଯବାନଙ୍କ ଚେକପୋଷ୍ଟକୁ ଟାର୍ଗେଟ କରି ଆତଙ୍କବାଦୀମାନେ ମାତ୍ର ୧୫ ସେକେଣ୍ଡରେ ୩୦ ରାଉଣ୍ଡ ଗୁଳି ଚଳାଇଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି। ସିସିଟିଭିରେ କଏଦ ହୋଇଥିବା ଶବ୍ଦରୁ ଜଣାପଡ଼ୁଛି ଯେ ପ୍ରଥମେ ୧୫ ସେକେଣ୍ଡରେ ୩୦ ରାଉଣ୍ଡ ଗୁଳି ଚାଲୁଛି। ଏହାପରେ ଆହୁରି ୧୦ରୁ ୧୨ ରାଉଣ୍ଡ ଗୁଳି ଚାଲୁଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ ବା CRPFର ପାଟ୍ରୋଲିଂ ପାର୍ଟିକୁ ଟାର୍ଗେଟ କରି କିଛି ସନ୍ଦିଗ୍ଧ ଆତଙ୍କବାଦୀ ଅତର୍କିତ ଗୁଳିମାଡ଼ କରିଥିଲେ । ଏହି ଆକ୍ରମଣରେ ସିଆର୍‌ପିଏଫ୍‌ର ତିନି ଜଣ ଯବାନ ଗୁରୁତର ଭାବେ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆକ୍ରମଣ ପରେ ସୁରକ୍ଷା ବାହିନୀ ତତ୍‌କ୍ଷଣାତ୍‌ କଡ଼ା ଜବାବ ଦେଇଥିଲେ ଏବଂ ପାଲଟା ଗୁଳିଚାଳନା କରିଥିଲେ । ଗୁରୁତର ଯବାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଅନନ୍ତନାଗର ଜିଏମସି ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାସ୍ଥଳରେ QRT ଟିମ୍ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି । ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ପକ୍ଷରୁ ଅଖରାନ୍ ଓ ଆଖପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ୍‌ କରିଦିଆଯାଇ ବେଳେ ସର୍ଚ୍ଚ ଅପରେସନ୍‌ ଅଭିଯାନ ଜାରି ରହିଛି । ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିବା ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ଡ୍ରୋନ୍‌ ଏବଂ ଅତିରିକ୍ତ ଫୋର୍ସର ସହାୟତା ନିଆଯାଉଛି । ଦେଶରୁ ଆତଙ୍କବାଦର ଚେର ଉପାଡ଼ିବା ପାଇଁ ସୁରକ୍ଷା ବାହିନୀର ଏହି କାର୍ଯ୍ୟାନୁଷ୍ଠାନ ଏବେ ଜୋରସୋରରେ ଚାଲିଥିବାବେଳେ ଖୁବ୍‌ ଶୀଘ୍ର ଆତଙ୍କୀମାନଙ୍କୁ କାବୁ କରାଯିବ ବୋଲି ସେନା ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *