ଫ୍ଲୋରିଡାରେ ବିମାନ ଦୁର୍ଘଟଣା: ୯ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଆମେରିକାର ଦକ୍ଷିଣ ଫ୍ଲୋରିଡା ଅଞ୍ଚଳରେ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଯାଇଛି। ଆକାଶରେ ଉଡ଼ୁଥିବା ଅବସ୍ଥାରେ ଏକ ବିମାନ ହଠାତ୍ ଅନ୍ତରୀକ୍ଷରୁ ଖସିଆସି ଏକ ଜନବହୁଳ ରାସ୍ତା ଉପରେ ମାଡ଼ ହୋଇଥିଲା, ଯାହାଫଳରେ ନିମିଷକ ମଧ୍ୟରେ ଏହା ଏକ ଭୀଷଣ ଅଗ୍ନିକାଣ୍ଡର ରୂପ ନେଇଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୯ ଜଣ ଯାତ୍ରୀ ଜୀବନ୍ତ ଜଳିଯାଇ ପ୍ରାଣ ହରାଇଛନ୍ତି। ବିମାନଟି ରାସ୍ତାରେ ଖସି ପଡ଼ିବା ପରେ ହୋଇଥିବା ପ୍ରଚଣ୍ଡ ଧକ୍କା କାରଣରୁ ରାସ୍ତା ଉପରେ ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା ଏବଂ ଚତୁର୍ଦ୍ଦିଗରେ କଳା ଧୂଆଁର ଆବରଣ ସହିତ ଭୟର ବାତାବରଣ ଖେଳିଯାଇଥିଲା। ତେବେ ସୌଭାଗ୍ୟବଶତଃ ବିମାନଟି ରାସ୍ତାରେ ପଡ଼ିଥିଲେ ମଧ୍ୟ ନିକଟସ୍ଥ ଏକ ବଡ଼ ଆବାସିକ ଅଞ୍ଚଳକୁ ଅଳ୍ପକେ ରକ୍ଷା ମିଳିଯାଇଛି। ମିଳିଥିବା ସୂଚନା ମୁତାବକ, ଦକ୍ଷିଣ ଫ୍ଲୋରିଡାର ପାମ୍ ବିଚ୍ କାଉଣ୍ଟି ଅନ୍ତର୍ଗତ କ୍ରେସଥାଭେନ୍ ଅଞ୍ଚଳ ନିକଟରେ ଏହି ଦୁଃଖନୀୟ ଘଟଣା ଘଟିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ସେଠାକାର ଏକ ଅତ୍ୟନ୍ତ ବ୍ୟସ୍ତବହୁଳ ତଥା ଛଅ ଲେନ୍ ବିଶିଷ୍ଟ ‘ମିଲିଟାରୀ ଟ୍ରେଲ୍’ ନାମକ ପ୍ରମୁଖ ରାସ୍ତା ଉପରେ ଖସିପଡ଼ିଥିଲା। ଉକ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ଅନେକ ଦୋକାନ ବଜାର ଏବଂ ରେଷ୍ଟୁରାଣ୍ଟ ରହିଥିବାରୁ ସେଠାରେ ସବୁବେଳେ ଲୋକଙ୍କ ଭିଡ଼ ରହିଥାଏ। ବିମାନଟି ରାସ୍ତା ଉପରେ ଖସିବାକ୍ଷଣି ଏଥିରେ ନିଆଁ ଲାଗିଯାଇଥିଲା ଏବଂ କଳା ଧୂଆଁ ଆକାଶ ମାର୍ଗକୁ ଉଠିଥିଲା। ଘଟଣାସ୍ଥଳର ଦୃଶ୍ୟ ଏତେ ଭୟାନକ ଥିଲା ଯେ, ସ୍ଥାନୀୟ ଲୋକେ ଏହାକୁ ଦେଖି ସ୍ତବ୍ଧ ଓ ଆତଙ୍କିତ ହୋଇପଡ଼ିଥିଲେ।

Leave a Reply

Your email address will not be published. Required fields are marked *