ଇବୋଲା ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ

ନୂଆଦିଲ୍ଲୀ:କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଭାରତୀୟ ନାଗରିକମାନଙ୍କୁ ଇବୋଲା ପ୍ରଭାବିତ ଦେଶ ଡେମୋକ୍ରାଟିକ ରିପବ୍ଲିକ ଅଫ କଙ୍ଗୋ, ୟୁଗାଣ୍ଡା ଏବଂ ଦକ୍ଷିଣ ସୁଦାନକୁ ଅଣ-ଜରୁରୀ ଯାତ୍ରାରୁ ନିବୃତ୍ତ ରହିବା ପାଇଁ ପରାମର୍ଶ ଦେଇଛି। ଏହି ଆଡଭାଇଜରି ଏଭଳି ସମୟରେ ଆସିଛି ଯେତେବେଳେ WHO ଇବୋଲା ଭାଇରସର ବଢୁଥିବା ପ୍ରକୋପକୁ ପବ୍ଲିକ ହେଲ୍ଥ ଇମରଜେନ୍ସି ଅଫ ଇଣ୍ଟରନ୍ୟାସନାଲ କନସର୍ନ (PHEIC) ଭାବେ ଘୋଷଣା କରିଛି।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ୨୦୦୫ ଅନୁଯାୟୀ, ୧୭ ମଇ ୨୦୨୬ ରେ WHO ଏହି ସ୍ଥିତିକୁ ବିଶ୍ୱ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ଭାବେ ଗ୍ରହଣ କରିଛି। ଏହା ପରେ ଭାରତ ସରକାର ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ନାଗରିକମାନଙ୍କ ପାଇଁ ଯାତ୍ରା ସମ୍ବନ୍ଧୀୟ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।ଯଦିଓ ଭାରତରେ ଏପର୍ଯ୍ୟନ୍ତ ଏହି ଷ୍ଟ୍ରେନର କୌଣସି ମାମଲା ସାମ୍ନାକୁ ଆସିନାହିଁ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପରିସ୍ଥିତି ଉପରେ କ୍ରମାଗତ ନଜର ରଖାଯାଇଛି ଏବଂ ସମସ୍ତ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ସରକାର କହିଛନ୍ତି ଯେ ଯେଉଁ ଭାରତୀୟ ନାଗରିକମାନେ ବର୍ତ୍ତମାନ ପ୍ରଭାବିତ ଦେଶଗୁଡ଼ିକରେ ରହୁଛନ୍ତି କିମ୍ବା ଯାତ୍ରା କରୁଛନ୍ତି, ସେମାନେ ସ୍ଥାନୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ ଏବଂ ଅଧିକ ସତର୍କ ରୁହନ୍ତୁ। ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଏହି ଦେଶଗୁଡ଼ିକୁ ଅଣ-ଜରୁରୀ ଯାତ୍ରା ସ୍ଥଗିତ ରଖିବା ହିଁ ସବୁଠାରୁ ନିରାପଦ ବିକଳ୍ପ ହେବ।

Leave a Reply

Your email address will not be published. Required fields are marked *