ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ ମନ୍ତ୍ରିପରିଷଦ ଓ ପରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ମନ୍ତ୍ରିପରିଷଦ ବୈଠକରେ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟକୁ ଅନୁମୋଦନ ମିଳିଛି। ଏହାସହିତ କ୍ୟାବିନେଟ୍ ବୈଠକରେ ମୋଟ ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏ ସମ୍ପର୍କରେ ମୁଖ୍ୟ ସଚିବଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ , ରାଜ୍ୟର ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଡିଜିଟାଲସ୍ତରରେ ସଶକ୍ତ କରିବା ଓ ଗ୍ରାମାଂଚଳ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପିଲାମାନଙ୍କ ମଧ୍ୟରେ ଥିବା ଡିଜିଟାଲ୍ ବିଭାଜନକୁ ଦୂର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଫ୍ଲାଗସିପ୍ ଯୋଜନା ‘ଓଡ଼ିଶା ଶିକ୍ଷାନେଟ୍’କୁ ଅନୁମୋଦନ ଦେଇଛନ୍ତି।୨୦୨୬-୨୭ ଆର୍ଥିକ ବର୍ଷରୁ ୨୦୨୮-୨୯ ପର୍ଯ୍ୟନ୍ତ ମୋଟ୍ ୩ବର୍ଷ ଅବଧି ପାଇଁ ଏହି ଯୋଜନା ବାବଦରେ ୩୯୩.୬୨ କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ନୂଆ ବ୍ୟବସ୍ଥା ଅଧୀନରେ ଓଡ଼ିଶାର ୬୦୧ଟି ସରକାରୀ ଓ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟକୁ ନିଶୁଳ୍କ, ସୁରକ୍ଷିତ ତଥା ହାଇସ୍ପିଡ୍ ୱାଇଫାଇ ସଂଯୋଗୀକରଣ ଯୋଗାଇ ଦିଆଯିବ। କଲେଜ କ୍ୟାମ୍ପସ ମଧ୍ୟରେ ଅଧ୍ୟୟନରତ ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ଶୈକ୍ଷିକ, ଗବେଷଣା ଓ ଦକ୍ଷତା ବିକାଶ ଉଦ୍ଦେଶ୍ୟରେ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତ ନିଶୁଳ୍କ ଇଣ୍ଟରନେଟ୍ ଡାଟା ଉପଭୋଗ କରିପାରିବେ। ଏହାଦ୍ୱାରା ୬ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ତଥା ଅଧ୍ୟାପକ ସିଧାସଳଖ ଉପକୃତ ହେବାସହ ଇ-ବୁକ୍, ଡିଜିଟାଲ୍ ଲାଇବ୍ରେରୀ, ଭର୍ଚୁଆଲ୍ କ୍ଲାସରୁମ୍ ଓ ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତି ସହଜସାଧ୍ୟ ହୋଇପାରିବ। ସେହିପରି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ସିଭିଲ ସର୍ଭିସ(ଓସିଏସ) ପରୀକ୍ଷାରେ ଥିବା ଆଟେମ୍ପଟ୍’ କଟକଣାକୁ ହଟାଇ ଦେଇଛନ୍ତି।ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ବ୍ୟାପକ ଖାଦ୍ୟ ଓ ଧାନ ସଂଗ୍ରହ ନୀତିକୁ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ, ଖରିଫ ଋତୁରେ ୫୩ ଲକ୍ଷ ମେଟ୍ରିକ ଟନ୍ ଚାଉଳ (ପ୍ରାୟ ୭୮ ଲକ୍ଷ ମେଟ୍ରିକ ଟନ୍ ଧାନ) ସଂଗ୍ରହର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଓ ସର୍ବନିମ୍ନ ସହାୟକ ମୂଲ୍ୟ (msp) ସହିତ ଇନପୁଟ ସହାୟତା ମିଶାଇ ଚାଷୀମାନଙ୍କୁ କ୍ୱିଣ୍ଟାଲ ପିଛା ମୋଟ ୩୧୦୦ ଟଙ୍କା ପ୍ରଦାନ କରାଯିବ। ଧାନ ବିକ୍ରିର ୨୪ ରୁ ୪୮ ଘଣ୍ଟ ମଧ୍ୟରେ ମାଧ୍ୟମରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ ବ୍ୟବସ୍ଥା ହୋଇଛି । ଉପଗ୍ରହ ଚିତ୍ର ଜରିଆରେ ୧୦୦% ଫିଲ୍ଡ ଭେରିଫିକେସନ୍, ଡିଜିଟାଲ୍ ସମ୍ମତି ଆଧାରରେ ଯୋଗ୍ୟ ଭାଗଚାଷୀଙ୍କ ପଞ୍ଜିକରଣ ଓ ୫ହଜାର ମେଟ୍ରିକ ଟନ୍ରୁ ଅଧିକ କ୍ଷମତା ଥିବା ମଣ୍ଡିରେ ଏଆଇ ଭିତ୍ତିକ ଶସ୍ୟ ବିଶ୍ଳେଷକ ଯନ୍ତ୍ର ଓ ସିସିଟିଭି ଲଗାଇ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ସ୍ୱଚ୍ଛ କରାଯିବ। ସେହିପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟିଙ୍କୁ ନିରବଚ୍ଛିନ୍ନ ସେବା ନିଶ୍ଚିତ କରିବା ପାଇଁ ବେସରକାରୀ ଡିଲରମାନଙ୍କ କାର୍ଯ୍ୟକାଳ ସମୟସୀମାକୁ ରାଜ୍ୟ କ୍ୟାବିନେଟ୍ ପୁଣିଥରେ ୨୦୨୭ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।ସେହିପରି ଗୋ-ପାଳକଙ୍କ ସୁରକ୍ଷା ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ ‘ଓଡ଼ିଶା ଗୋ-ପ୍ରଜନନ (ନିୟନ୍ତ୍ରଣ) ବିଧେୟକ, ୨୦୨୬’ ଚିଠାକୁ କ୍ୟାବିନେଟ୍ ଗ୍ରହଣ କରିଛନ୍ତି, ଯାହା ଆଗାମୀ ଦିନରେ ବିଧାନସଭାରେ ଉପସ୍ଥାପିତ କରାଯିବ lଗ୍ରାମାଂଚଳ ପ୍ରଶାସନର କର୍ମଚାରୀଙ୍କ ମନୋବଳ ବଢ଼ାଇବାକୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅନ୍ତର୍ଗତ ପଂଚାୟତ ନିର୍ବାହୀ ଅଧିକାରୀ କ୍ୟାଡର ସଂଶୋଧନ ନିୟମାବଳୀ, ୨୦୨୬କୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ପୂର୍ବରୁ ପିଇଓରୁ ଜିପିଡିଓ ପଦୋନ୍ନତି ସୁଯୋଗ ମାତ୍ର ୨.୫ ପ୍ରତିଶତ ଥିବାବେଳେ ଏବେ ପେ-ଲେଭଲ-୭ରେ ୨୦୩୦ ଓ ପେ-ଲେଭଲ୍-୯ରେ ୧୨୬୪ଟି ପଦବୀ ସହ ମୋଟ ୩୨୯୪ଟି ପଦବୀରେ ପଦୋନ୍ନତି ସୁଯୋଗ ସୃଷ୍ଟି ହୋଇଛି ଓ ପିଇଓ ପଦବୀର ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକକୁ ବୃଦ୍ଧି କରାଯାଇଛି।
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ:୧୩ ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ
