ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ, ସୁପ୍ରିମକୋର୍ଟଙ୍କ ୯ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ

ନୂଆଦିଲ୍ଲୀ: କେରଳର ସାବରିମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶ ମାମଲାର ଶୁଣାଣି ପାଇଁ ଆଜି ସୁପ୍ରିମକୋର୍ଟ ଏକ ୯ ଜଣିଆ ସମ୍ବିଧାନ ଖଣ୍ଡପୀଠ ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ଏପ୍ରିଲ ୭ରେ ଏହି ମାମଲାର ଶୁଣାଣି ଆରମ୍ଭ ହୋଇ ଏପ୍ରିଲ ୨୨ ତାରିଖ ସୁଦ୍ଧା ଶେଷ ହେବ ବୋଲି ପ୍ରସ୍ତାବ ରହିଛି। ଖଣ୍ଡପୀଠରେ କିଏ କିଏ ରହିବେ ସେ ସମ୍ପର୍କରେ ପ୍ରଧାନ ବିଚାରପତି ପରବର୍ତ୍ତୀ ସମୟରେ ନିର୍ଦ୍ଦେଶ ଦେବେ। କୋର୍ଟ ପକ୍ଷଗୁଡ଼ିକୁ ମାର୍ଚ୍ଚ ୧୪ କିମ୍ବା ତା’ପୂର୍ବରୁ ସେମାନଙ୍କର ଲିଖିତ ଯୁକ୍ତି ଦାଖଲ କରିବାକୁ କହିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଛନ୍ତି ଯେ, ସାବରିମାଳା ମନ୍ଦିରରେ ସମସ୍ତ ବୟସ ବର୍ଗର ମହିଳାଙ୍କ ପ୍ରବେଶକୁ ଅନୁମତି ଦେଇଥିବା ରାୟର ସମୀକ୍ଷା ପାଇଁ ଆବେଦନକୁ ସମର୍ଥନ କରନ୍ତି । ସାବରିମାଳା ରାୟର ସମୀକ୍ଷାକୁ ସମର୍ଥନ କରୁଥିବା ପକ୍ଷ ପାଇଁ ଖଣ୍ଡପୀଠ ଓକିଲ କ୍ରିଷ୍ଣ କୁମାର ସିଂହଙ୍କୁ ନୋଡାଲ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି । ଏହାକୁ ବିରୋଧ କରୁଥିବା ପକ୍ଷ ପାଇଁ ଶାଶ୍ବତି ପରିଙ୍କୁ ନୋଡାଲ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଶିବମ ସିଂହଙ୍କ ସହିତ ବରିଷ୍ଠ ଓକିଲ କେ ପରମେଶ୍ୱରଙ୍କୁ ଆମିକସ୍ ଭାବରେ ନିଯୁକ୍ତ କରାଯାଇଛି। ସବରିମାଳା ମାମଲା ବ୍ୟତୀତ ସର୍ବୋଚ୍ଚ କୋର୍ଟ ମୁସଲିମ ମହିଳାମାନଙ୍କର ମସଜିଦ ଏବଂ ଦରଘାରେ ପ୍ରବେଶ ଏବଂ ଅଣ-ପାର୍ସି ପୁରୁଷଙ୍କ ସହ ବିବାହ କରିଥିବା ପାର୍ସି ମହିଳାମାନଙ୍କୁ ଆଗିଆରୀର ପବିତ୍ର ଅଗ୍ନିସ୍ଥଳରୁ ନିଷେଧ କରାଯିବା ପ୍ରସଙ୍ଗଗୁଡ଼ିକୁ ବୃହତର ଖଣ୍ଡପୀଠକୁ ପଠାଯାଇଥିଲା ।

Leave a Reply

Your email address will not be published. Required fields are marked *