ଏସଆଇଆର ପାଇଁ ୬ ଜଣ ବରିଷ୍ଠ ସଦସ୍ୟଙ୍କୁ ନେଇ କମିଟି ଗଠନ କଲା ବିଜେଡି

ଭୁବନେଶ୍ୱର:ଏସଆଇଆର ପାଇଁ କମିଟି ଗଠନ କଲା ବିଜେଡି। ୬ ଜଣ ବରିଷ୍ଠ ସଦସ୍ୟଙ୍କୁ ନେଇ କମିଟି ଗଠନ କରିଛି ବିଜୁ ଜନତା ଦଳ।ବରିଷ୍ଠ ସଦସ୍ୟ ତାଲିକାରେ ରହିଛନ୍ତି,ପ୍ରମିଳା ମଲ୍ଲିକ,ନିରଞ୍ଜନ ପୂଜାରୀ,ପ୍ରତାପ ଜେନା,ସସ୍ମିତ ପାତ୍ର,ଭୃଗୁ ବକ୍ସିପାତ୍ର ଓ ବିଜୟ ନାୟକ ସାମିଲ କରାଯାଇଛି।ଏହି ବରିଷ୍ଠ ସଦସ୍ୟ ମାନେ ବିଏଲଏ ନିଯୁକ୍ତି ଓ ସେମାନଙ୍କୁ ପ୍ରଶିକ୍ଷଣ ତଦାରଖ କରିବେ।ରାଜ୍ୟରେ ଆଗାମୀ ଜୁଲାଇ ୧ରୁ ଏସଆଇଆର ପ୍ରକ୍ରିୟା ଆରମ୍ଭ ହେବ। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର ଏସ ଗୋପଳନ ପୂର୍ବରୁ ସୂଚନା ଦେଇଛନ୍ତି।ମୁଖ୍ୟ ନିର୍ବାଚନ ଅଧିକାରୀ କହିଥିଲେ ଯେ, ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସଆଇଆର ପାଇଁ ସମୟସୂଚୀ ଘୋଷଣା କରାଯାଇଛି। ଜୁଲାଇ ୦୧ରୁ ଏହା ଆରମ୍ଭ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଛି। ମେ ୨୦ରୁ ୨୯ ତାରିଖ ପର୍ଯ୍ୟନ୍ତ ପ୍ରିଣ୍ଟିଂ, ପ୍ରସ୍ତୁତି ଓ ପ୍ରଶିକ୍ଷଣ କାର୍ଯ୍ୟ ସମ୍ପନ୍ନ ହେବ। ପରେ ୩୦ ତାରିଖରୁ ରୁ ଜୁନ ଶେଷ ଅର୍ଥାତ ୨୮ ତାରିଖ ପର୍ଯ୍ୟନ୍ତ ବିଏଲଓମାନେ ଘରକୁ ଘର ଯାଇ ପରିଦର୍ଶନ କରିବେ। ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ରର ପୁନର୍ବିନ୍ୟାସ ହେବ। ପରେ ଜୁଲାଇ ୦୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବ। ଜୁଲାଇ ୫ରୁ ଅଗଷ୍ଟ ୪ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟହୋଇଥିବାବେଳେ ଜୁଲାଇ ୫ରୁ ସେପ୍ଟେମ୍ବର ୨ପର୍ଯ୍ୟନ୍ତ ଦାବି ଓ ଆପତ୍ତିର ସମାଧାନ ହେବ।ସେପ୍ଟେମ୍ବର ୬ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।ଏସଆଇଆରକୁ ସମ୍ପୂର୍ଣ୍ଣ ସ୍ବଚ୍ଛତା ଏବଂ ରାଜନୈତିକ ଦଳମାନଙ୍କ ପୂର୍ବ ସହଭାଗୀତା ସହ କାର୍ଯ୍ୟାନ୍ଵୟନ କରାଯିବ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡିଶା ସମସ୍ତ ରାଜନୈତିକ ଦଳଙ୍କୁ ପ୍ରତ୍ୟେକ ମତଦାନ କେନ୍ଦ୍ର ପାଇଁ ବୁଥ୍ ସ୍ତରୀୟ ଏଜେଣ୍ଟ (ବିଏଲଏ) ନିଯୁକ୍ତ କରିବାକୁ ଅନୁରୋଧ କରିଥିଲେ l

Leave a Reply

Your email address will not be published. Required fields are marked *